ଅସ୍ତରଙ୍ଗ ବ୍ଲକ୍ ନାନପୁର ମୌଜାର ପତିସାହିରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଉକ୍ତ ପାରାର ଦୁଇ ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ଲାଗିଛି। ପିତଳ ଟ୍ୟାଗରେ ଇଂରାଜୀରେ READY BSP DN ଲେଖାଯାଇଛି। ଆଉ ଏକ ଟ୍ୟାଗରେ ଇଂରାଜୀରେ 31 ଲେଖା ରହିଛି। ରୂପନଙ୍କ ପରିବାର ଲୋକେ ଏହି ପାରାକୁ ଧରିବା ପରେ ଘରେ ରଖିଛନ୍ତି। ଆଠ ଦିନ ହେଲା ରୂପନଙ୍କ ଛାତ ଉପରେ ଥିବା ପାରାଭାଡ଼ି ନିକଟକୁ ଆସି ଅନ୍ୟ ପାରାଙ୍କ ସହ ଏହି ପାରାଟି ବସୁଥିବାର ଦେଖାଯାଇଥିଲା।ଗୋଡ଼ରେ ଚିପ୍ ସଦୃଶ ଜିନିଷ ମଧ୍ୟ ରହିଛି। ଯାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ଏକ ଗୁପ୍ତ କ୍ୟାମେରା କିମ୍ବା ମେମୋରି ଚିପ୍ ବୋଲି ଅନୁମାନ କରାଯାଉଛି।
ସୂଚନାମୁତାବକ ନାନପୁର ମୌଜାର ରୁପନ ପତିଙ୍କ ଘରେ କିଛି ପୋଷା ପାରା ଅଛନ୍ତି। ଏମାନଙ୍କ ସହ ପ୍ରାୟ ମାସେ ହେବ ଏକ ଦେଶୀ ଜାତୀୟ ତଥା ଦେଉଳିଆ ପାରା ଭଳି ଜଣାପଡୁଥିବା ଏକ ଅଜଣା ପାରା ଆସି ବିଚରଣ କରୁଥିଲା। ତା’ର ଦୁଇ ଗୋଡ଼ରେ ନଳୀ ଲାଗିବା ହଠାତ୍ ନଜର ପଡିବାରେ ତାକୁ ପରିବାର ଲୋକେ ଜାଲ ବିଛାଇ ଆଜି ଅପରାହ୍ନରେ ଧରିଥିଲେ। ଆସନ୍ତାକାଲି ପୁଲିସ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବ ବୋଲି ସୂଚନା ମିଳିଛି।