ଘରଚଟିଆର ସଂରକ୍ଷଣ ପାଇଁ ସ୍ବେଚ୍ଛାସେବୀଙ୍କ ପ୍ରୟାସ: ୧୦ଟି ଜିଲ୍ଲାରେ ରବୀନ୍ଦ୍ର ସ୍ଥାପନ କରିଛନ୍ତି କୃତ୍ରିମ ବସା

Share this :

ଆଉ ଶୁଭୁନି କିଚିରିମିଚିରି ଶବ୍ଦ। ହଜି‌ଗଲେଣି ଘରଚଟିଆ। ଜଳବାୟୁରେ ପରିବର୍ତ୍ତନ ସହିତ ଆଧୁନିକ ଜୀବନଶୈଳୀର ନକରାତ୍ମକ ପ୍ରଭାବରେ ଏହି ଚଢ଼େଇ ଧୀରେ ଧୀରରେ ନିଜର ସତ୍ତା ହରାଉଛି। ଚାଳଘର, ସ୍କାଏଲାଇଟ୍‌, କାନ୍ଥର ସନ୍ଧି, ଲାଇଟପୋଷ୍ଟ୍‌ ଭଳି ସ୍ଥାନରେ ଘରଚଟିଆ ତା’ର ବସା ବାନ୍ଧିଥାଏ। କିନ୍ତୁ ବର୍ତ୍ତମାନ କଂକ୍ରିଟ୍‌ ଜଙ୍ଗଲରେ ଘରଚଟିଆ ପାଇଁ ବସା ମିଳିପାରୁନି। ଘରଚଟିଆଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଏହି ଘରଚଟିଆଙ୍କ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମର ରବୀନ୍ଦ୍ରନାଥ ସାହୁ। ୨୦୦୭ରୁ ସେ ଘରଚଟିଆଙ୍କ ସୁରକ୍ଷା ପାଇଁ କାମ କରି ଆସୁଛନ୍ତି। କୃତ୍ରିମ ବସା ତିଆରି କରି ଏମାନଙ୍କୁ ବଞ୍ଚିବା ପାଇଁ ରାହା ଦେଖାଉଛନ୍ତି। ୧୦ଟି ଜିଲ୍ଲାର ବିଭିନ୍ନ ସହରରେ ସେ କୃତ୍ରିମ ବସା ସ୍ଥାପନ କରି ଘରଚଟିଆଙ୍କୁ ଘର ଯୋଗାଇଛନ୍ତି।

 

ସେହିପରି କୁକୁଡ଼ାଖଣ୍ତି ବ୍ଲକ୍ ଦକ୍ଷିଣପୁର ଗ୍ରାମପଞ୍ଚାୟତ ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧ ଗ୍ରାମରେ ଘରଚଟିଆଙ୍କ ନିଆରା ସ˚ରକ୍ଷଣ ଆଜି ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। କହିବାକୁ ଗଲେ ଏହି ଗାଁ ଘରଚଟିଆଙ୍କ ‘ପ୍ରବାସୀ ଗ୍ରାମ’ ଭାବେ ପରିଗଣିତ ହୋଇସାରିଛି। ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଏଭଳି ପଶୁ ଓ ପକ୍ଷୀ ସଂରକ୍ଷଣ ପାଇଁ କାମ ଜାରି ରଖିଛନ୍ତି। ଏଥିପାଇଁ ମାର୍ଚ୍ଚ ୨୦ତାରିଖରେ ‘ବିଶ୍ବ ଘରଚଟିଆ’ ଦିବସ ପାଳନ କରାଯାଉଛି। ଘରଚଟିଆଙ୍କ ସୁରକ୍ଷା ପାଇଁ ରବୀନ୍ଦ୍ର ନିଜସ୍ବ ଉଦ୍ୟମରେ କୃତ୍ରିମବସା ତିଆରି କରି ବିଭିନ୍ନ ସ୍ଥାନରେ ସ୍ଥାପନ କରୁଛନ୍ତି। ବିନା କୌଣସି ସରକାରୀ ସହାୟତାରେ ଓ ନିଜସ୍ବ ଉଦ୍ୟମରେ ଗଞ୍ଜାମ ଜିଲ୍ଲା ସମେତ ଖୋର୍ଦ୍ଧା, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସହରରେ ସ୍ବେଚ୍ଛାସେବୀଙ୍କୁ ନେଇ କୃତ୍ରିମବସା ସ୍ଥାପନ କରିଛନ୍ତି। କାଠ, ନଡ଼ିଆ ଖୋଳପା, ବାଉଁଶ, ମାଠିଆ ଭଳି ସାମଗ୍ରୀରେ ଘରଚଟିଆଙ୍କ ପାଇଁ କୃତ୍ରିମ ବସା ତିଆରି କରାଯାଉଥିବା ଶ୍ରୀ ସାହୁ କହିଛନ୍ତି।

Share this :

Leave a Reply

Your email address will not be published. Required fields are marked *