ଶନିବାରଠୁ ଆରମ୍ଭ ହେଉଥିବା ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ଅଫିସିଆଲ୍ ମାସ୍କଟ୍ର ନାମ ‘ଶକ୍ତି’ ରଖାଯାଇଛି। ଏସଂପର୍କରେ ବିସିସିଆଇ ସମ୍ପାଦକ ଜୟ ଶାହ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲା ବେଳେ ଏକ ବାଘୁଣୀକୁ ମାସ୍କଟ ଭାବେ ରୂପାୟିତ କରାଯାଇଛି। ଉକ୍ତ ମାସ୍କଟ୍ ନୀଳ ରଙ୍ଗର ଜର୍ସି ପିନ୍ଧିଥିଲା ବେଳେ ଛାତିରେ ମହିଳା ପ୍ରିମିୟର ଲିଗ୍ ଲେଖାଯାଇଛି। ଡବ୍ଲୁପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିଅର୍ସ ଅଂଶଗ୍ରହଣ କରୁଛନ୍ତି। ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଗୁଜରାଟ ଓ ମୁମ୍ବାଇ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ହେବ। ମୋଟ ୨୦ ଲିଗ୍ ମ୍ୟାଚ୍ ଖେଳାଯିବା ପରେ ୨ ପ୍ଲେ ଅଫ୍ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍ ଲାନିଙ୍ଗ୍ ଶନିବାରଠୁ ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ଲାଗି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆର ଅଧିନାୟିକା ଭାବେ ଲାନିଙ୍ଗ୍ କୀର୍ତ୍ତିମାନଭରା ୪ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାର ଗୌରବ ପାଇଛନ୍ତି। ନିକଟରେ ତାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକାକୁ ତା’ମାଟିରେ ହରାଇ ବିଶ୍ବକପ୍ ଜିତିଥିଲା ଅଷ୍ଟ୍ରେଲିଆ। ୩୦ ବର୍ଷୀୟା ଲାନିଙ୍ଗ୍ ଗୁରୁବାର ଡବ୍ଲୁପିଏଲ୍ ଖେଳିବା ଲାଗି ମୁମ୍ବାଇରେ ପହଞ୍ଚିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ୧୩୨ ଟ୍ବେଣ୍ଟି-୨୦ ଖେଳି ୨ ଶତକ ଓ ୧୫ ଅର୍ଦ୍ଧଶତକ ସହ ୩୪.୬୧ ହାରାହାରି ଓ ୧୧୬.୩୭ ଷ୍ଟ୍ରାଇକ୍ରେଟ୍ରେ ୩୪୦୫ ରନ୍ ସଂଗ୍ରହ କରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ୧୦୦ ଟ୍ବେଣ୍ଟି-୨୦ରେ ନେତୃତ୍ବ ନେଇଛନ୍ତି। ଯାହା ଏହି ଫର୍ମାଟ୍ରେ ମହିଳା କ୍ରିକେଟ୍ର ସର୍ବାଧିକ। ଦଳର ଉପଅଧିନାୟିକା ଦାୟିତ୍ବ ଭାରତୀୟ ବ୍ୟାଟର୍ ଜେମିମା ରଡ୍ରିଗୁଏଜଙ୍କୁ ମିଳିଛି। ମାର୍ଚ୍ଚ ୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳି ଦିଲ୍ଲୀ କ୍ୟାପିଟାଲ୍ସ ଡବ୍ଲୁପିଏଲ୍ ଅଭିଯାନ ଆରମ୍ଭ କରିବ।