ଲୋକପ୍ରିୟ ଅଭିନେତା ତଥା ନିର୍ଦେଶକ ସତୀଶ କୌଶିକଙ୍କ ପରଲୋକ

Share this :

ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ । ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା ଅନୁପମ ଖେର । ସତୀଶ କୌଶିକ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ସତୀଶ କୌଶିକଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ – “ମୃତ୍ୟୁ ହେଉଛି ଦୁନିଆର ଚରମ ସତ୍ୟ, କିନ୍ତୁ ମୁଁ ସ୍ୱପ୍ନରେ କେବେ ଭାବି ନ ଥିଲି ଯେ ମୁଁ ବଞ୍ଚିଥିବା ବେଳେ ମୋର ସବୁଠାରୁ ଭଲ ବନ୍ଧୁ ସତୀଶ କୌଶିକର ମୃତ୍ୟୁକୁ ନେଇ କିଛି ଲେଖିବି । ୪୫ ବର୍ଷର ସମ୍ପର୍କରେ ହଠାତ ପୂର୍ଣ୍ଣଚ୍ଛେଦ ପଡିଛି । ତୁମ ବିନା ଜୀବନ ପୂର୍ବଭଳି କେବେବି ହୋଇପାରିବ ନାହିଁ । ଓମ୍ ଶାନ୍ତି ।”

sathish

ଅଭିନେତା ଅନୁପମ ଖେର ତାଙ୍କ ବନ୍ଧୁଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ସତୀଶ କୌଶିକଙ୍କ ମୃତଦେହ ବର୍ତ୍ତମାନ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ଆଜି ଅପରାହ୍ନରେ ମୁମ୍ବାଇସ୍ଥିତ ତାଙ୍କ ଘରକୁ ଅଣାଯିବ ଏବଂ ତା’ପରେ ତାଙ୍କର ଶେଷ ରୀତିନୀତି ଏଠାରେ କରାଯିବ। ସତୀଶ କୌଶିକ ଗୁରୁଗାଓଁର ଫାର୍ମହାଉସକୁ କାହାକୁ ଭେଟିବାକୁ ଯାଇଥିଲେ। ଫାର୍ମହାଉସରୁ ଫେରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ଏବଂ ପରେ ତାଙ୍କୁ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା।

ସତୀଶ କୌଶିକଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସେ ଏକା ଧାରାରେ ବଲିଉଡରେ ଜଣେ ହାସ୍ୟ ଅଭିନେତା, ସ୍କ୍ରିନ ରାଇଟର୍‌ ଏବଂ ଫିଲ୍ମ ନିର୍ମାତା ଥିଲେ । ସତୀଶ କୌଶିକଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା 1993ରେ ନିର୍ମିତ ଶ୍ରୀଦେବୀଙ୍କ ଅଭିନୀତ ରୂପ କି ରାନୀ ଚୋରନ୍ କା ରାଜା । ଏହାପରେ 1995ରେ ସେ ପ୍ରେମ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ବକ୍ସ ଅଫିସରେ ଏହି ଫିଲ୍ମ କମାଲ କରିପାରି ନଥିଲା । ଏହାପରେ ବି ସେ ନିର୍ଦ୍ଦେଶନା ଜାରି ରଖିଥିଲେ। 1999ରେ ସେ ହମ୍ ଆପକେ ଦିଲ୍ ମେନ୍ ରେହେତେ ହେଁ ତାଙ୍କର ପ୍ରଥମ ହିଟ୍ ଫିଲ୍ମ ଥିଲା । ଯାହା ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଥିଲା । ସେ ଟିଭି ସୋ’ ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ଡ୍ରାମା’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । 2016ରେ ଫିଲ୍ମ ଉଡତା ପଞ୍ଜାବରେ ତାୟାଜି ଭୁମିକାରେ ନଜର ଆସିଥିଲେ ।

Share this :

Leave a Reply

Your email address will not be published. Required fields are marked *