ଦୁବାଇ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଅଶ୍ବିନ ୬ଟି ୱିକେଟ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ପ୍ରଦର୍ଶନ ଯୋଗୁ ଅଶ୍ବିନ ଟେଷ୍ଟରେ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଇଂଲଣ୍ଡ ୧ ରନରେ ପରାଜିତ ହୋଇଥିଲା। ଆଣ୍ଡରସନ ସେଭଳି ପ୍ରଦର୍ଶନ କରିପାରିନଥିବାରୁ ବୋଲିଂ ମାନ୍ୟତାର ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି।୨୦୧୫ରେ ଅଶ୍ବିନ ପ୍ରଥମ ଥର ପାଇଁ ଟେଷ୍ଟରେ ଏକ ନମ୍ବର ବୋଲର ହୋଇଥିଲେ। ଏହା ପରଠାରୁ ଅଶ୍ବିନ କ୍ରମାଗତ ଭାବେ ଶ୍ରେଷ୍ଠ ୧୦ରେ ରହି ଆସୁଛନ୍ତି। ଦିଲ୍ଲୀ ଟେଷ୍ଟରେ ଅଶ୍ବିନ ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାନେ ଓ ଷ୍ଟିଭ୍ ସ୍ମିଥ୍ଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ।ଦ୍ବିତୀୟ ଇନିଂସରେ ମଧ୍ୟ ଅଶ୍ବିନ ଅଷ୍ଟ୍ରେଲିଆର ଶୀର୍ଷ ଭାଗର ୩ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ।ଏବେ ଅଶ୍ବିନଙ୍କୁ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଟେଷ୍ଟ ଇନ୍ଦୋର ଓ ଅହମ୍ମଦାବାଦରେ ଭଲ ପ୍ରଦର୍ଶନ କରିବାକୁ ପଡିବ।
ଶେଷ ୩ ସପ୍ତାହରେ ୩ ବୋଲର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କୁ ଗତ ସପ୍ତାହରେ ଜେମ୍ସ ଆଣ୍ଡରସନ ହଟାଇ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଚଳିତ ସପ୍ତାହରେ ଆଣ୍ଡରସନଙ୍କୁ ହଟାଇ ଅଶ୍ବିନ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଅଶ୍ବିନ ୮୬୪ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଆଣ୍ଡରସନ ୮୫୯ ପଏଣ୍ଟ ସହ ଦ୍ବିତୀୟ ଓ କମିନ୍ସ ୮୫୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। କ୍ରିକେଟଠାରୁ ଦୂରରେ ରହିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ୪ର୍ଥ ଓ ପାକିସ୍ତାନର ସାହିନ ସାହ ଆଫ୍ରିଦି ୫ମ ସ୍ଥାନରେ ରହିଛନ୍ତି। ଦିଲ୍ଲୀ ଟେଷ୍ଟରେ ୧୦ଟି ୱିକେଟ ନେଇଥିବା ରବୀନ୍ଦ୍ର ଜାଡେଜା ବୋଲିଂ ମାନ୍ୟତାର ୮ମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଅଲରାଉଣ୍ଡର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ଓ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ୍ ୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୮ମ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାନେ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଷ୍ଟିଭ୍ ସ୍ମିଥ୍ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୱିଲିଂଟନ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ରୁଟ୍ ୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩ୟ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମ ୩ୟ ସ୍ଥାନରୁ ୪ର୍ଥ ଓ ଅଷ୍ଟ୍ରେଲିଆର ଟ୍ରେଭିସ ହେଡ୍ ୪ର୍ଥ ସ୍ଥାନରୁ ୫ମ ସ୍ଥାନକୁ ଖସି ଆସିଛନ୍ତି। ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ ୬ଷ୍ଠ ଓ ଟମ୍ ବୁଣ୍ଡିଲ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତୀୟ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ୍ ୮ମ, ରୋହିତ ଶର୍ମା ୯ମ, ବିରାଟ କୋହଲି ୧୭ତମସ୍ଥାନକୁ ଖସି ଆସିଛନ୍ତି। ଇଂଲଣ୍ଡର ହ୍ୟାରୀ ବ୍ରୁକ୍ସ ୧୫ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୫ତମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଟମ୍ ଲାଥାମ ୬ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି।