୮ଦିନ ହେବ ତାଲା ପଡ଼ିଛି କପିଳେଶ୍ୱର୍ ମନ୍ଦିର

Share this :

 

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଅନ୍ୟତମ ଆରାଧ୍ୟ ଠାକୁର କପିଳେଶ୍ବରଙ୍କ ପୂଜା ପରମ୍ପରା ଓ ବିଧିବିଧାନକୁ ନେଇ ଲାଗି ରହିଥିବା ସେବାୟତଙ୍କ ଗୋଷ୍ଠୀ ବିବାଦ ତୁଟିପାରୁନାହିଁ। ମନ୍ଦିର ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ବେ ମଲିଆ ସେବାୟତଙ୍କୁ ମନାଇବା ସମ୍ଭବ ହୋଇନାହିଁ। ଫଳରେ ୭ ଦିନ ହେଲାଣି ମନ୍ଦିର ସିଂହଦ୍ୱାରରେ ତାଲା ଝୁଲୁଛି ଏବଂ ଠାକୁର ମନ୍ଦିର ଭିତରେ ଅପୂଜା ଓ ଉପାସରେ ରହିଛନ୍ତି। ହାଣ୍ଡିଭଙ୍ଗା ଯାତ ହୋଇପାରିଲାନାହିଁ। ତେଣୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ କପିଳନାଥଙ୍କ ମହାମିଳନ ପରମ୍ପରା ବନ୍ଦ ହୋଇଗଲା। ସେହିଭଳି ଫଗୁ ଦଶମୀ ତିଥିରେ ଠାକୁରଙ୍କୁ ଫଗୁ ଲାଗି ମଧ୍ୟ ହୋଇପାରିଲାନାହିଁ। ଆଗକୁ କପିଳନାଥଙ୍କ ଦୋଳଯାତ ବି ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ଠାକୁରଙ୍କ ପ୍ରତି ହେଉଥିବା ଏଭଳି ଅନ୍ୟାୟ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି।KAPILESWAR TEMPLE

ଏହି ବିବାଦର ସମାଧାନ ପାଇଁ ସହକାରୀ ଦେବୋତ୍ତର କମିସନର ଓ କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଘନଘନ ବୈଠକ କରୁଛନ୍ତି। କିନ୍ତୁ ମଲିଆ ସେବାୟତ ଗୋଷ୍ଠୀ ନିଜ ଜିଦ୍‌ରୁ ଓହରିବା ନାଁ ଧରୁନାହାନ୍ତି ବୋଲି ଦେବୋତ୍ତର ବିଭାଗ ଓ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ମଧ୍ୟ ଉଭୟ ସେବାୟତ ଗୋଷ୍ଠୀଙ୍କୁ ବୈଠକକୁ ଡକାଯାଇଥିଲା। ପୂର୍ବ ବୈଠକରେ ମଲିଆ ସେବାୟତମାନେ ଯୋଗ ଦେଇଥିଲେ ହେଁ ଆଜି ବୈଠକ‌କୁ ଆସିନଥିଲେ। ପାଲଟା ସେମାନେ ମନ୍ଦିର ସମ୍ମୁଖରେ ଏକାଠି ହୋଇ ଖୋର୍ଦ୍ଧା ଜିଲ୍ଲାପାଳ ଓ ମନ୍ଦିର ପ୍ରଶାସନ ବିରୋଧରେ ବର୍ଷିଥିଲେ। ଠାକୁରଙ୍କ ଉପାସ ରହିବା ପାଇଁ ଜିଲ୍ଲାପାଳ ଦାୟୀ ବୋଲି ଅଭିଯୋଗ କରିଥିଲେ। ତେଣୁ ପ୍ରଶାସନ କ୍ଷମା ନ ମାଗିଲେ, ମନ୍ଦିର ନୀତିକାନ୍ତି ହୋଇପାରିବ ନାହିଁ ବୋଲି ନାରାବାଜି କରିଥିଲେ। ତେଣୁ ବିବାଦ ତୁଟିବା ବଦଳରେ ପୁଣି ବଢ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଗତକାଲି ପୁଲିସ ଉଭୟ ସେବାୟତ ଗୋଷ୍ଠୀର ୧୪ ଜଣଙ୍କ ବିରୋଧରେ ୧୦୭ ଦଫା ଲାଗୁ କରିଥିଲା।

ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ମନ୍ଦିର ପ୍ରଶାସନର ଅନୁରୋଧକ୍ରମେ ପୁଲିସ ଏହି ଚେତାବନୀ ଦେଇଥିଲା। ମାତ୍ର ଆଜି ତା’ର ଓଲଟା ଫଳ ଦେଖିବାକୁ ମିଳିଛି। ପ୍ରଶାସନ ବିବାଦ ବଢ଼ାଉଛି ବୋଲି ମଲିଆ ସେବାୟତମାନେ ଅଭିଯୋଗ କରିଛନ୍ତି। ଏହା ଭିତରେ ଦେବୋତ୍ତର ବିଭାଗ ଠାକୁରଙ୍କ ପୂଜା ନୀତି ପୁନରୁଦ୍ଧାର କରିବା ପାଇଁ ବିକଳ୍ପ ଚିନ୍ତା କରୁଛି। ପୂର୍ବରୁ ଅନ୍ୟ ସବୁ ବିବାଦୀୟ ମନ୍ଦିରରେ କ’ଣ ପଦକ୍ଷେପ ନିଆଯାଇଥିଲା ଏବଂ ଦେବୋତ୍ତର ବିଭାଗର ଆଇନରେ ଏନେଇ କ’ଣ ସବୁ ରହିଛି, ତାହାର ତର୍ଜମା କରାଯାଉଛି ବୋଲି କୁହାଯାଇଛି।

ଏଣେ ବିବାଦ ସମାଧାନ ହୋଇପାରୁନଥିବା ବେଳେ ଠାକୁରଙ୍କୁ ଅପୂଜା ଓ ଉପାସରେ ରଖିବା ଘଟଣା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି। ଏହାସହିତ ଠାକୁରଙ୍କ ପର୍ବ ଓ ପରମ୍ପରା ସବୁ ବନ୍ଦ ହୋଇଯାଉଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଗଲାଣି। ୭ ବର୍ଷ ହେଲା ହାଣ୍ଡିଭଙ୍ଗା ଯାତ ବନ୍ଦ ହୋଇଥିଲା। ମାତ୍ର ଅନ୍ୟ ସବୁ ପର୍ବ ପାଳିତ ହେଉଥିଲା। ଏଥର କିନ୍ତୁ ଫଗୁ ଦଶମୀ ବନ୍ଦ ହୋଇଗଲା। ଆସନ୍ତା ରବିବାର ପଡ଼ୁଛି ଫାଲ୍‌ଗୁନ ଚତୁର୍ଦ୍ଦଶୀ ତିଥି। ଏହି ତିଥିରେ ଶ୍ରୀକପିଳନାଥ ଓ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ଗଡ଼ ଯାତ୍ରା କରିବା ବିଧି ରହିଛି ଏବଂ ଏହା ପ୍ରଭୁ କପିଳେଶ୍ବରଙ୍କ ଅନ୍ୟତମ ବଡ଼ ଯାତ୍ରା। ଏହି ଗଡ଼ ଯାତ୍ରା ଅବସରରେ କପିଳନାଥଙ୍କ ମନ୍ଦିର ଓ ସାହି ରାସ୍ତାରେ ଫୁଲ ସଜ୍ଜା ହୁଏ। ମହାପ୍ରଭୁ ପ୍ରଥମେ କପିଳପ୍ରସାଦକୁ ଯାତ୍ରା କରନ୍ତି। ସେଠାରେ ଭୋଗ ଲାଗି ହେବା ପରେ ପାଲାମଣ୍ଡପ ଯାତ୍ରା କରନ୍ତି। ତେବେ ବଡ଼ କଥା ହେଉଛି ଏହା ପରେ ବିମାନ ମୁସଲମାନ ସାହି ଦେଇ ଯାତ୍ରା କରିଥାଏ। ଏତିକିବେଳେ ବହୁ ମୁସଲମାନ ପରିବାରଙ୍କ ଦୁଆରେ ଦୀପ ଜଳିବା ଦେଖିବାକୁ ମିଳେ। ସେମାନେ କପିଳନାଥଙ୍କୁ ଦୀପ ଜାଳି ସ୍ବାଗତ କରନ୍ତି। ଏହାପରେ ଠାକୁର ସୁନ୍ଦରପଦାର ନନ୍ଦ ସାହି ଓ ପରେ ତଳସାହିରେ ଭୋଗ ଖାଇ ପ୍ରତ୍ୟାବର୍ତ୍ତନ କରନ୍ତି। ଭୋର୍‌ ସମୟରେ ଠାକୁର ଦୋଳବେଦିରେ ବସିବା ପରେ ମେଣ୍ଡା କୁଡ଼ୁଆରେ ଅଗ୍ନି ସଂଯୋଗ କରାଯାଏ। ଏବର୍ଷ ଏହି ପରମ୍ପରା ରକ୍ଷା ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

 

Share this :

Leave a Reply

Your email address will not be published. Required fields are marked *